ସ୍ନାନପୂର୍ଣ୍ଣମୀରେ ଗଜାନନ ବେଶ କାହିଁକି ?

ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣମୀ ବା ସ୍ନାନ ପୂର୍ଣ୍ଣମୀ ।  ଦାରୁ ବିଗ୍ରହମାନଙ୍କ ଜନ୍ମ ତିଥି ଭାବେ ବିବେଚିତ ଏହି ତିଥି । ସ୍ନାନବେଦି ଉପରେ ୧୦୮ ଗରା ସୁବାସିତ ଜଳରେ ଦିବ୍ୟ ସ୍ନାନ କରିବେ ଚତୁର୍ଦ୍ଧା ମୂରତି। କରୋନା କଟକଣା ଯୋଗୁ ଦୀର୍ଘଦିନ ଧରି ଭକ୍ତ ମହାପ୍ରଭୁଙ୍କ ସାନ୍ନିଧ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ଆଜି ଚର୍ମଚକ୍ଷୁରେ  ନ ହେଲେ ବି ଟିଭି ପରଦାରେ ମହାପ୍ରଭୁଙ୍କ ଅପୂର୍ବ ଶୋଭା ଦର୍ଶନର ସୌଭାଗ୍ୟ ଲାଭ କରିବେ। ଭକ୍ତଙ୍କ ମନ ଜାଣି ପ୍ରଭୁ ଆଜି ସ୍ନାନବେଦି ଉପରେ ଗଜାନନ ବେଶ ବା ହାତୀବେଶରେ ଦର୍ଶନ ଦେବେ।

ତେବେ କାହିଁକି ଆଜି ପ୍ରଭୁଙ୍କର ଗଜାନନ ବେଶ। ଏ ନେଇ ଏକ ସୁନ୍ଦର କାହାଣୀ ରହିଛି। ମହାରାଷ୍ଟ୍ରର ଗଣପତି ଭଟ୍ଟ ଥରେ ତାଙ୍କ ବାପାଙ୍କଠାରୁ ଶୁଣିବାକୁ ପାଇଲେ ପୁରୀ ଶ୍ରୀକ୍ଷେତ୍ରରେ ବ୍ରହ୍ମ ଅଛନ୍ତି। ଭଟ୍ଟଙ୍କର ଏକା ଜିଦ୍ ସେ ବ୍ରହ୍ମ ଦର୍ଶନ କରିବେ। ଭଟ୍ଟଙ୍କର ଆରାଧ୍ୟ ଦେବତା ଗଣପତି।  ତେଣୁ ସେ ବୁଝନ୍ତି ବ୍ରହ୍ମମାନେ ତାଙ୍କ ପ୍ରିୟ ଗଣପତି। ତେଣୁ ତାଙ୍କର ଏକା ଜିଦ୍‌ ସେ ହିଁ ଗଣପତି ଆଉ ସେ ହିଁ ବିଶ୍ୱ ନିୟନ୍ତା। ତେଣୁ ସେ ପୁରୀ ଯିବେ ଆଉ ବ୍ରହ୍ମ ଦର୍ଶନ କରିବେ।

ହେଲେ କେଉଁଠି ମହାରାଷ୍ଟ୍ର , କେଉଁଠି ପୁରୀ ! ତଥାପି ହତାଶ ହୋଇ ନ ଥିଲେ ଭଟ୍ଟ ମହାଶୟ। ବ୍ରହ୍ମ ଦର୍ଶନ ଆଶା ନେଇ ଗାଁ ଛାଡ଼ି ବାହାରିଲେ ପୁରୀ ଅଭିମୁଖେ।  ସାହି ପଡିଶା, ପ୍ରିୟଜନଙ୍କଠାରୁ ମେଲାଣି ନେଲେ। ପାଦ ବଢିଲା ଶ୍ରୀକ୍ଷେତ୍ର। ଚାଲିଚାଲି ଆଗେଇଲେ ଶ୍ରୀକ୍ଷେତ୍ର ପୁରୀକୁ। ନଇ ନାଳ, ଅଙ୍କାବଙ୍କା ରାସ୍ତା ଦେଇ ଭଟ୍ଟ ପହଞ୍ଚିଲେ ଚନ୍ଦନପୁର। ଦୂରରୁ ଶୋଭିତ ନୀଳଚକ୍ରକୁ ପ୍ରମାଣଟିଏ କଲେ। ଭାବିଲେ ଏଇ ମନ୍ଦିରରେ ଗଣପତି ହିଁ ବିଦ୍ୟମାନ ଥିବେ।
ଦିଅଁ ଦେଖିବାକୁ ଅଖିଆ ଅପିଆ ବଡ଼ ଦେଉଳକୁ ଦଉଡିଲେ ଭଟ୍ଟ।
ହେଲେ ଜଗନ୍ନାଥଙ୍କୁ ଦେଖି ତାଙ୍କ ମନ ମରିଗଲା। ଧିକ୍କାର କଲେ ନିଜକୁ। ଗଣେଶ ବୋଲି ଭାବି ଯାହାଙ୍କୁ ଦର୍ଶନ ପାଇ ସେ ଧାଇଁ ଆସିଥିଲେ ସେ ତୁଚ୍ଛା କାଠ ଗଡଟାଏ। ମନ ମରିଗଲା ତାଙ୍କର। ବଡ ଦେଉଳରୁ ଲେଉଟି ଆସିଲେ ଭଟ୍ଟ। ପହଞ୍ଚିଲେ ଚନ୍ଦନପୁର। ଅଟକିଗଲା ପାଦ। ଅବସ ହୋଇ ଥକି ପଡିଲା ଦେହ। ଆଖି ଲାଗିଗଲା। ସ୍ୱପ୍ନରେ କେହି ପଚାରିଲେ ମନ ଉଦାସ କାହିଁକି ? ବ୍ରହ୍ମରୂପି ଗଜାନନଙ୍କୁ ନ ଦେଖି ତାଙ୍କ ମନ ଉଦାସ ବୋଲି କହିଥିଲେ।

ନିଦ ଭାଙ୍ଗିବା ପରେ କେହି ଜଣେ କହିଲେ,
‘‘ଭଟ୍ଟ ଆପଣେ ଥକି ଗଲ କି ? ତୁମ ଗଣେଶ ପରା ଦାଣ୍ଡରେ ଉଭା ହେଇଛନ୍ତି। ଯାଉନ ମନ ପୂରାଇ ଦେଖି ଆସିବ’‘
କଥା ଶୁଣି ଭଟ୍ଟ ଆପଣେ ଚକିତ ହୋଇଗଲେ। କେହି କୁଆଡେ ନ ଥିଲେ। କିନ୍ତୁ ପାଦ ଲେଉଟିଲା ବଡଦାଣ୍ଡକୁ। ଲୋକରାଣ୍ୟ ବଡଦାଣ୍ଡରେ ପହଞ୍ଚିଲେ ଗଣପତି ଭଟ୍ଟ। ଆଖି ପୂରାଇ ଦେଖିଲେ ଗଣପତି ରୂପି ଜଗନ୍ନାଥଙ୍କୁ। ବିଭୋର ହେଲେ ଭକ୍ତ ଗଣପତି। ଲମ୍ବ ହୋଇ ପଡିଗଲେ ବଡଦାଣ୍ଡରେ।
ବ୍ରହ୍ମର ସ୍ୱରୂପକୁ ଦେଖିଲେ ଗଣପତି ଭଟ୍ଟ। ଏ ତ ମୋରି ପ୍ରଭୁ, ମୋ ଗଣପତି । ମୋର ପ୍ରିୟ ଗଣପତି ବପ୍ପା।

ତା’ ପରଠାରୁ ସ୍ନାନବେଦି ଉପରେ ଠାକୁରଙ୍କୁ ଗଜାନନ ରୂପରେ ଦେଖି ଆସୁଛନ୍ତି ଭକ୍ତ।

Comments